"ବାପା ମୋ କାନ୍ଦନ୍ତି ଯେବେ"
ମାଆ ପାଇଁ ଲେଖା କେତେ ଯେ କବିତା
କେତେ କଥା ଲେଖା ବହି
ହେଲେ ଆଜି ଯାଏଁ ବାପାଙ୍କ ପାଇଁକି
ଲେଖିତ ନାହାନ୍ତି କେହି ।୧।
ଆଜି ମୋ କଲମ ଝରାଇ ଦେଇଛି
କିଛିଟା ଅକୁହା କଥା
ବାପା ସେ ଅଟନ୍ତି ସହିଥାନ୍ତି ଯିଏ
ନାନା ଦୁଃଖ, କଷ୍ଟ, ବ୍ୟଥା ।୨।
ଦେଖାନ୍ତି ନାହିଁ ସେ ମୁହଁରେ ତାଙ୍କର
ସ୍ନେହ,ପ୍ରେମ ଭରା ଭାବ
ଆମରି ପାଇଁକି ତ୍ୟାଗି ଲେ ନିଜର
ହସ ଖୁସି ଆଉ ସାଙ୍ଗ ।୩।
ଶକ୍ତ ଚର୍ମ ପଛୁ ନରମ ହୃଦୟ
ସ୍ପନ୍ଦିତ ଅବିରତ
ସଫା କହିଦିଏ ତାଙ୍କ ଦୁଇ ଆଖି
ଆମ ପାଇଁ ସେ ଚିନ୍ତିତ ।୪।
ଆମ ଭବିଷ୍ୟତ ଗଢ଼ିବା ପାଇଁକି
ଖଟନ୍ତି ସେ ଦିନ ରାତି
ଖୁଆଇଛନ୍ତି ସେ ଆମରି ମାନଙ୍କୁ
ନିଜ ପେଟରୁ ସେ କାଟି ।୫।
ରାତି ରାତି ସିଏ ଅନିଦ୍ରା ରୁହନ୍ତି
ଆମ ଦେହାବସ୍ଥା ବେଳେ
ମାଆ ଭଳି ସେବା ଯତନ କରନ୍ତି
ଭାବନ୍ତିନି କିଛି ତିଳେ ।୬।
ଲୋକେ ତ କୁହନ୍ତି ପୁରୁଷ ଆଖିରୁ
ଲୁହ ନ ଝରଇ କେବେ
ହେଲେ ମୋ ହୃଦୟ ଥରେ ବ୍ୟାକୁଳ ରେ
ବାପା ମୋ କାନ୍ଦନ୍ତି ଯେବେ ।୭।
0 Comments